ଅନୁଗୋଳ: ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଗତ ୧୨ତାରିଖ ଦିନ ଅପରାହ୍ନରେ ବନ୍ତଳା ବଜାରରେ ହୋଇଥିବା ଭୟାବହ ଅଗ୍ନି କାଣ୍ଡକୁ ନେଇ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ବିହିତ ପଦକ୍ଷେପ ନେବାପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଉକ୍ତ ସ୍ମାରକପତ୍ର ଗ୍ରହଣ କରିଥିଲେ। ବନ୍ତଳା ବଜାରରେ ବହୁତ ଗୁଡିଏ ଦୋକାନ ଜଳି ଯାଇଥିବା ବେଳେ ବହୁ ସମ୍ପତ୍ତି ମଧ୍ୟ ପୋଡି ପାଉଁଶ ହୋଇଯାଇଥିବା ବେଳେ ପ୍ରଶାସନିକ ବହୁ ଅବ୍ୟବସ୍ଥା ଦେଖାଯାଇଥିଲା, ଯାହାକି ନିଆଁକୁ ଆୟତ କରିବାରେ ବିଳମ୍ବ ହୋଇଥିଲା ବୋଲି ସାଧାରଣରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ବନ୍ତଳା ଅଞ୍ଚଳରେ ବାରମ୍ବାର ନିଆଁ ହେଉଥିବା ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ନିଆଁଲିଭା କେନ୍ଦ୍ର ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲା ଓ ଅଞ୍ଚଳବାସୀଙ୍କ ଦାବିକୁ ସମ୍ମାନ ଦେଇ ସରକାର ଦମକଳ କେନ୍ଦ୍ର ସ୍ଥାପନ କରିଥିଲେ ମଧ୍ୟ ଅଞ୍ଚଳ ବାସୀଙ୍କ ଇଚ୍ଛାକୁ ଉକ୍ତ ଦମକଳ କେନ୍ଦ୍ର ପୂରଣ କରି ପାରିଲାନାହିଁ। ବଜାରର ଅତି ନିକଟରେ ଦମକଳ କେନ୍ଦ୍ର ଥାଇ ପ୍ରାୟ୪୫ ମିନିଟ ପରେ ଆସିବା ବେଳକୁ ନିଆଁ ଉଗ୍ର ରୂପ ଧାରଣ କରି ସାରିଥିଲା, ଫଳରେ ନିଆଁକୁ ଆୟତ କରିବା ସମ୍ଭବ ହୋଇ ପାରିଲା ନାହିଁ ଓ ପରେ ଅନୁଗୋଳ ଓ ଜିନ୍ଦଲର ସହଯୋଗ ନେବାକୁ ପଡିଲା ଓ ବହୁ ବିଳମ୍ବରେ ନିଆଁକୁ ଆୟତ କରାଗଲା। ନିଆଁଲିଭା ପାଇଁ ଯେତିକି ତତ୍ପର ନେତାମାନେ ନ ଥିଲେ ତାଠାରୁ ଅଧିକ ରାଜନୀତି କରିବାକୁ କ୍ଷେତ୍ର ତିଆରିରେ ବ୍ୟସ୍ତ ଥିଲେ। ଫଳରେ ନିରୀହ ଦୋକାନୀ ନାହିଁ ନ ଥିବା କ୍ଷତି ସହିଲେ। ଦମକଳ କେନ୍ଦ୍ର ପକ୍ଷରୁ ଆବଶ୍ୟକିୟ ବ୍ୟବସ୍ଥା ମଧ୍ୟରେ ନ ଥିବା ଦେଖାଯାଇଥିଲା। ଯେତିକି ଟାଙ୍କିରେ ଜଳ ରହିବା କଥା ଉକ୍ତ ଗଡିରେ ସେତିକି ଜଳ ନ ଥିଲା, ଫଳରେ ନିଆଁଲିଭା କାର୍ଯ୍ୟ ବ୍ୟାହତ ହୋଇଥିଲା। ଦମକଳ କେନ୍ଦ୍ରର ଆଦୌ ଏତେବଡ ଭୟାନକ ଅଗ୍ନିକାଣ୍ଡ ଘଟିବ କଳ୍ପନା ବାହାରେ ଥିଲା,ଏଣୁ ଦୋକାନୀ ମାନଙ୍କର ଧନହାନୀ ହେଲା। ସରକାରଙ୍କ ପକ୍ଷରୁ ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଆଜିର ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଗୋପାଳ ଚନ୍ଦ୍ର ନାଥ, ରାଜକିଶୋର ସାହୁ, ବଲବୀର ସିଂହ, ବ୍ଲକ କଂଗ୍ରେସ ସଭାପତି ରାକେଶ ମିଶ୍ର, ବିନୋଦ ମାଝୀ, ଧର୍ମେନ୍ଦ୍ର ନାଥ ମିଶ୍ର, ସୁଦୀପ ମିଶ୍ର, ସଞ୍ଜୀବ ମାଣ୍ଡୋଠିଆ, ପ୍ରଦ୍ୟୁମ୍ନ ସାହୁ, ରଶ୍ମିରଞ୍ଜନ ସାହୁ, ବାସୁଦେବ ସାମଲ, ଅଳକାରାଣୀ ମହାପାତ୍ର, ଲିଲି ବେହେରା, ସଂଗ୍ରାମ ବେହେରା, ଅଲେଖ ବେହେରା, ଅରୁପ ସାମଲ, ଦୁଷ୍ମନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ତଳା ବଜାର ପୋଡି ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
