ଅନୁଗୋଳ: ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଅଞ୍ଚଳର ଲୁହାମୁଣ୍ଡା ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଉଥିବା ଦିଲଖୁସ୍ ବସ୍ ଆଗରେ ଯାଉଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ରୁ ୨୦ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ଗତ ରାତି ପ୍ରାୟ ୨ରୁ ୩ଟା ସମୟରେ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଅଞ୍ଚଳର ଲୁହାମୁଣ୍ଡା ନିକଟରେ ଏହି ଭୟାବହ ସଡ଼କ ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଦିଲଖୁସ୍ ଯାତ୍ରୀବାହୀ ବସ୍ଟି ଆଗରେ ଯାଉଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା ଏବଂ ବସ୍ ଭିତରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକ, ହଣ୍ଡପା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ବସ୍ରେ ଫସି ରହିଥିବା ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଦୁର୍ଘଟଣାରେ ପ୍ରାୟ ୧୮ରୁ ୨୦ ଜଣ ଆହତ ହୋଇଥିବା ବେଳେ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିଲା।
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କ ମୃତ୍ୟୁ ଘଟିଥିବା ବେଳେ ଅବଶିଷ୍ଟ ୧୪ ଜଣ ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକସ୍ଥ ସ୍କବ ମେଡିକାଲ କଲେଜ ଏବଂ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କ ଚିକିତ୍ସା ଅନୁଗୋଳରେ ଜାରି ରହିଛି। ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ଓ ସ୍ଥାନୀୟ ପ୍ରଶାସନଙ୍କ ଉଦ୍ୟମରେ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଯାଇ ଯାତାୟାତ ସ୍ୱାଭାବିକ କରାଯାଇଥିଲା।
ଦୁର୍ଘଟଣାର ପ୍ରକୃତ କାରଣ ନେଇ ହଣ୍ଡପା ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ରାତ୍ରିକାଳୀନ ଯାତ୍ରା ସମୟରେ ଅସାବଧାନତା କିମ୍ବା ଅତ୍ୟଧିକ ବେଗ ଏହି ଦୁର୍ଘଟଣାର ଏକ ପ୍ରମୁଖ କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

