ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ନିକଟରେ କଂଗ୍ରେସର ହେବିଓ୍ବେଟ ତଥା ପୂର୍ବତନ ନଗରପାଳ ଅକ୍ଷୟ ସାମନ୍ତ କଂଗ୍ରେସ ଛାଡି ବିଜେଡି ଶିବିରରେ ନିଜ ସମର୍ଥକଙ୍କୁ ନେଇ ସାମିଲ ହେବା ପରେ ବିଜେଡି ଶିବିରରେ ଏକ ପ୍ରକାର କମ୍ପନ ଦେଖାଦେଇଛି । ବିଶେଷ ଭାବେ ବିଜେଡି ସୁପ୍ରିମୋ ଅକ୍ଷୟଙ୍କୁ ଅନୁଗୁଳ ପୌରାଧ୍ୟକ୍ଷ ପଦ ପାଇଁ ଏକ ପ୍ରକାର ସ୍ଥିର କରିସାରିଥିବା ସୂତ୍ରରୁ ଜଣାପଡିଛି । ତେବେ ଏଭଳି ନିଷ୍ପତ୍ତିକୁ ସହଜରେ ହଜମ କରି ପାରୁନାହାନ୍ତି ପୌର ରାଜନୀତିରେ ବେଶ ସକ୍ରିୟ ଥିବା ପୁରୁଣା ଓ ପୁରୁଖା ନେତା । ବିଶେଷ ଭାବେ ଅନୁଗୁଳ ବିଧାୟକଙ୍କ ଏକ ପ୍ରକାର ଅନୁଗତ କୁହାଯାଉଥିବା ଏହି ନେତାମାନେ ଆଜି ସହରର ଦୁଇ ନମ୍ବର ୱାର୍ଡ ଅନ୍ତର୍ଗତ ସିବା ପଡ଼ିଆରେ ନିଜ ସମର୍ଥକଙ୍କ ସହ ବୈଠକ କରିଛନ୍ତି । ସିଧାସଳଖ ଅକ୍ଷୟଙ୍କ ପ୍ରାର୍ଥିତ୍ୱକୁ ସେମାନେ ବିରୋଧ କରିବା ସହ ଆଗାମୀ ରଣନୀତି ନେଇ ଆଲୋଚନା ପର୍ଯ୍ୟାଲୋଚନା କରିଛନ୍ତି । ତେବେ ବିରୋଧୀଙ୍କ ମତରେ ସ୍ଥାନୀୟ ବିଧାୟକ ଏକମତ କି ନୁହେଁ ସେ ନେଇ କୌଣସି ସ୍ପଷ୍ଟତା ଦେଖାଦେଇନାହିଁ ।
ଅନୁରୂପ ଭାବେ ଦଳର କୌଣସି ସାଂଗଠନିକ ନେତୃ ମଣ୍ଡଳୀ ଯଥାକ୍ରମେ ଛାତ୍ର , ଯୁବ ଓ ମହିଳା ସମେତ ଜିଲା ବିଜେଡିର ବିରୋଧୀଙ୍କ ବିରୋଧରେ ସ୍ୱର ମିସାଇବାର କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସେପଟେ ଢେଙ୍କାନାଳ ସାଂସଦ ମହେଶ ସାହୁ ଅନୁମୋଦନ କ୍ରମେ ଅକ୍ଷୟଙ୍କୁ ବିଜେଡିରେ ସାମିଲ କରାଯାଇଥିବା ନେଇ ଖୋଦ ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିବା ପରେ ଶ୍ରୀ ସାହୁଙ୍କ ସମର୍ଥକମାନେ ଦଳୀୟ ନିଷ୍ପତ୍ତିକୁ ମାନି ଅକ୍ଷୟଙ୍କ ଯେପରି କୌଣସି କ୍ଷୟ ହେବ ନାହିଁ ଓ ଅକ୍ଷୟଙ୍କ ନେତୃତ୍ୱରେ ହିଁ କିପରି ବିଜେଡି ପ୍ରଥମ ଥର ପାଇଁ ଅନୁଗୁଳ ପୌର ପାଳିକାକୁ ଦଖଲ କରିବ ସେ ନେଇ ଜୋରସୋର ପ୍ରୟାସ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି ।
ଅନୁଗୋଳ ବିଜେଡ଼ିରେ ଘଡିକେ ଘୋଡ଼ା ଛୁଟୁଛି, ପ୍ରାର୍ଥିତ୍ୱକୁ ନେଇ ତେଜୁଛି ଅନ୍ତଃକନ୍ଦଳ

