ଭୁବନେଶ୍ୱର: ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦା ହେଲେ ମହମ୍ମଦ ମୋକିମ। ମୋକିମଙ୍କୁ ବହିଷ୍କୃତ କଲା ଏଆଇସିସି। କିଛି ଦିନ ତଳେ ରାଜ୍ୟ କଂଗ୍ରେସର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟକୁ ଚିଠି ଲେଖିଥିଲେ। ତେବେ ଏନେଇ ମୋକିମଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତାଙ୍କୁ ବହିଷ୍କାର କରିଥିବା ନେଇ ସୂଚନା ଦେଇଛି।
ଏଠାରେ କହି ରଖୁକି କିଛି ଦିନ ତଳେ ରାଜ୍ୟ କଂଗ୍ରେସର ନେତୃତ୍ୱକୁ ନେଇ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଚିଠି ଲେଖିଥିଲେ। ଯାହା ପରେ କଂଗ୍ରେସ କନ୍ଦଳ ପଦାରେ ପଡିଥିଲା। ମୋକିମ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠିକୁ ଏଆଇସିସିର ଅନେକ ବରିଷ୍ଠ ନେତା ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି। ଜୟରାମ ରମେଶ, କେ. ସି. ଭେଣୁଗୋପାଳ, ଅଜୟ ମାକେନ ଓ ଅଭିଷେକ ମନୁ ସିଂଘଭୀଙ୍କ ଭଳି ଏଆଇସିସିର ବରିଷ୍ଠ ନେତାମାନେ ଏହାକୁ ନେଇ କ୍ଷୁବ୍ଧ ଥିବାନେଇ କଂଗ୍ରେସ ମହଲରେ ଆଲୋଚନା ଜୋର ଧରିଥିଲା। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଜଣାପଡ଼ିଛି ଭକ୍ତ ଦାସ ଏହି ପ୍ରସଙ୍ଗରେ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼୍ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ଏ ସମସ୍ତ ପ୍ରସଙ୍ଗ ଉପରେ ଆଜି କଂଗ୍ରେସ ସଭାପତି ଓ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରୁ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ସୌଜନ୍ୟମୂଳକ ଭାବେ ଅବଗତ କରାଯାଇଛି।
ଏହି ଚିଠିକୁ ନେଇ ନୂଆଦିଲ୍ଲୀରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି, ସେମାନେ ଚାଲିଯିବା ଦରକାର। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼୍ଗେ ବହୁ ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି। ତାଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ।

