ଅନୁଗୋଳର ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରି ଥଇଥାନ କରିବା ପାଇଁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisement

ଅନୁଗୁଳ/ତାଳଚେର: ଅନୁଗୁଳ ଜିଲ୍ଲାର ପବିତ୍ରନଗର ନୂଆ ବସ୍ତିରେ ଥିବା ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବା ସହ ଭୂମି ଅଧିଗ୍ରହଣ ସମୟରେ ନଷ୍ଟ ହୋଇଯାଇଥିବା ପାଣିହତାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦୀର୍ଘ ଦିନରୁ ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କ ପୁନର୍ବାସ ଓ ଥଇଥାନ ଜନିତ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ । ୧୯୬୦ ମସିହାରେ ସମାକୋଇ ନଦୀରେ ଆସିଥିବା ବଡ଼ ବନ୍ୟାରେ ପ୍ରଭାବିତ ପରାବିଲ ଗ୍ରାମବାସୀ ପବିତ୍ରନଗର ନୂତନ ବସ୍ତିରେ ବସବାସ କରିଆସୁଛନ୍ତି । ଦୁର୍ଭାଗ୍ୟର କଥା, ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏ ଯାବତ ଜଣେ ହେଲେ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ଖଣ୍ଡିଏ ମିଳିପାରିନାହିଁ ।

ସେହିପରି ପରାବିଲ ସ୍ଥିତ ରେଳ ଷ୍ଟେସନର ଭୂମି ଅଧିଗ୍ରହଣ ସମୟରେ ଗ୍ରାମର ପାଣିହତା ମଧ୍ୟ ନଷ୍ଟ ହୋଇଯାଇଛି । ଉକ୍ତ ପାଣିହତାଟି ଗ୍ରାମର ଦୁଇଟି ବନ୍ଧ-ମାଷ୍ଟ୍ରବନ୍ଧ ଓ ବଡ଼ବନ୍ଧର ପାଣିକୁ ସଂଯୋଗ କରୁଥିଲା । ତେଣୁ ଏହାର ପୁନରୁଦ୍ଧାର ଅତି ଜରୁରୀ ହୋଇପଡ଼ିଛି । ଏହି ପରିପ୍ରେକ୍ଷୀରେ ପୁରୁଷ ପୁରୁଷର ଭିଟାମାଟି ହରାଇଥିବା ବିସ୍ଥାପିତ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଓ ନଷ୍ଟ ହୋଇଯାଇଥିବା ପାଣିହତାର ପୁନରୁଦ୍ଧାର ନିମନ୍ତେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି । ଏ ଦିଗରେ ସମୟୋଚିତ ପଦକ୍ଷେପ ନେବା ତଥା ବିସ୍ଥାପିତଙ୍କ ନ୍ୟାଯ୍ୟ ଦାବି ପୂରଣ ଦିଗରେ ତତ୍ପରତା ପ୍ରକାଶ କରିବା ପାଇଁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *