ଓଡ଼ିଶା ସରକାର ହେଉଛନ୍ତି ଧୃତରାଷ୍ଟ୍ର : ଧର୍ମେନ୍ଦ୍ର ପ୍ରଧାନ

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜିର ବିଶାଳ ରାଲିକୁ ସମ୍ବୋଦ୍ଧିତ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି କି ଏଠାକାର ସରକାର ସବୁ ଜାଣି ମଧ୍ୟ ନିଜ ସ୍ୱାର୍ଥ ପାଇଁ ଲୋକକଲ୍ୟାଣକୁ ବଳି ପକାଉଛନ୍ତି। ଶାସନ ବ୍ୟବସ୍ଥାରେ ରହି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା କିଛି ଲୋକଙ୍କୁ ଜାଗ୍ରତ କରାଇବା। ଓଡ଼ିଶା ଦାୟିତ୍ୱରେ ଯେଉଁମାନେ ଅଛନ୍ତି ଆଜି ସେମାନେ ଏକଚାଟିଆ ମନୋବୃତ୍ତି ଚଲାଉଛନ୍ତି। ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ଥିବା ସତ୍ତ୍ୱେ ରାଜ୍ୟରେ ଆୟୁଷ୍ମାନ ଭାରତ କାହିଁକି ଲାଗୁ ହେଉନାହିଁ? ନିଜ ପରିବାର ମାଧ୍ୟମରେ ପୁରସ୍କାର ନେଇ ପ୍ରାୟୋଜିତ ଉତ୍ସବ କରାଉଛନ୍ତି ଏଠାକାର ସରକାର ବୋଲି କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ କି ପ୍ରଧାନମନ୍ତ୍ରୀ ଆବାସ ଓ ମନରେଗାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି।ଯୁବକ ଯୁବତୀ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ମହିଳା ପ୍ରଗତିର ଡିଣ୍ଡିମ ପିଟୁଥିବା ସରକାରରେ ମହିଳାମାନଙ୍କ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ କାହିଁକି? ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝରରେ କମଳମତି ଶିଶୁମାନେ ଅପପୁଷ୍ଟିର ଶୀକାର କାହିଁକି? ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପ୍ରେରଣାଦାୟୀ ଅଭିଭାଷଣ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢ଼ାଇବ। ‘ମୋ ବୁଥ୍ ସବୁଠୁ ମଜଭୂତ୍’ ସଂକଳ୍ପକୁ କାର୍ଯ୍ୟରେ କରି ଦେଖାଇବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ କହିଲେ କେନ୍ଦ୍ରମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଥିଲେ କି ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡ଼ିଶା ଗରିବ କଲ୍ୟାଣର ପ୍ରୟୋଗଶାଳା ହୋଇଛି । ମୋଦି ସରକାରଙ୍କ ନୀତି ସଂସ୍କାରରୁ ପୁଞ୍ଜିପତି ନୁହେଁ ବରଂ ଜନଜାତି ଲାଭାନ୍ୱିତ ହେଉଛି। ଓଡ଼ିଶା ଅସ୍ମିତାକୁ ଭବ୍ୟ ଓ ଗରିମାମୟ ପରିଚୟ ଦେବାରେ ପ୍ରଧାନମନ୍ତ୍ରୀ ସର୍ବାଗ୍ରେ ରହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *