‘ଅନ୍ତର୍ଜାତୀୟ ମହିଳା ଦିବସ’ରେ ମହିଳାଙ୍କୁ ମିଳିଲା ସୁଭଦ୍ରାର ଚତୁର୍ଥ କିସ୍ତି

Advertisement

Angul News: ଅନୁଗୋଳ:ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆଜି ପୁରୀ ଜିଲ୍ଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୧ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅନୁଗୋଳ ସଭାଗୃହଠାରେ ଏକ କାର୍ଯ୍ୟକ୍ରମଦ୍ବାରା ଅନୁଗୋଳରେ ୪୦୦ ରୁ ଊର୍ଦ୍ଧ୍ବ ମହିଳା ଆଭାସୀ ମାଧ୍ଯମରେ ଯୋଡ଼ି ହୋଇଥିଲେ। ଏହି ଯୋଜନା ଦ୍ୱାରା ଜିଲ୍ଲାର ୩ ଲକ୍ଷ ୨୦ ହଜାର ୨୫୬ ମହିଳା ହିତାଧିକାରୀ ଉପକୃତ ହୋଇପାରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ‘ସୁଭଦ୍ରା ଯୋଜନା’ କେବଳ ଅନୁଗୋଳର ଅର୍ଥନୈତିକ ବିକାଶ କରୁନି ବରଂ ଏହା ସରକାରଙ୍କ ‘ବିକଶିତ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ପୂରଣ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସାବ୍ୟସ୍ତ ହୋଇପାରିଛି । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।

ସେହିଭଳି ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି ସୁଭଦ୍ରା ଯୋଜନାର ସଫଳ ରୂପାୟନ ବିଷୟରେ କହି ଆତ୍ମନିର୍ଭରତା ଓ ଆତ୍ମବିଶ୍ୱାସ ସହିତ ମାତୃଶକ୍ତି ଆଗକୁ ଅଗ୍ରସର ହେଉଛନ୍ତି ଓ ସମାଜକୁ ଅଧିକ ସଶକ୍ତ କରୁଛନ୍ତି ବୋଲି କହିଥିଲେ। ଏହି ଅବସରରେ ଅନୁଗୋଳ ସିଡିପିଓ ଓ ବଅଁରପାଳ ସିଡିପିଓଙ୍କୁ ଶ୍ରେଷ୍ଠ ସିଡିପିଓ ଭାବେ ପୁରସ୍କୃତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଯଥା ଅଙ୍ଗନୱାଡ଼ି କର୍ମୀ, ଅଙ୍ଗନୱାଡ଼ି ହେଲପର, ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନିରଞ୍ଜନ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିରୁପମା ପାଣିଙ୍କ ସମେତ ଆଶା କର୍ମୀ, ସୁଭଦ୍ରା ମା, ଶକ୍ତି ସଦନ, ୱାନ ଷ୍ଟପ୍ ସେଣ୍ଟର୍ ଏବଂ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *