ଭକ୍ତଙ୍କ ପାଇଁ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ଦୁଇ ଡୋଜ୍‌ ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ଅନୁମତି

Advertisement

ପୁରୁଣା ଭୁବନେଶ୍ବର : ସେପ୍ଟେମ୍ବର ପହିଲାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। ଶ୍ରଦ୍ଧାଳୁ ତଥା ଭକ୍ତଙ୍କ ପାଇଁ ବିଏମ୍‌ସି ପକ୍ଷରୁ କୋଭିଡ୍ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଦୁଇ ଡୋଜ୍‌ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ମିଳିବ। ଶ୍ରୀମନ୍ଦିର ଭଳି ଏଠାରେ ମଧ୍ୟ ଦର୍ଶନାର୍ଥୀମାନେ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି।

ବିଏମ୍‌ସି ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଦର୍ଶନାର୍ଥୀ ଦୁଇ ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ। ଶ୍ରୀଜୀଉଙ୍କ ଗର୍ଭଗୃହକୁ ଯାଇ ଦର୍ଶନ କରିବା ନିଷେଧ କରାଯାଇଛି। ମନ୍ଦିର ଭିତରକୁ ଥରକେ ଅତି ବେଶିରେ ଶହେ ଜଣ ଭକ୍ତ ପ୍ରବେଶ କରିବେ ଓ ସିଂହଦ୍ବାରରୁ ଆଡ଼କାଠ ପର୍ଯ୍ୟନ୍ତ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ। ଭକ୍ତମାନଙ୍କଠାରୁ ସେବାୟତମାନେ କୌଣସି ପ୍ରକାର ଭୋଗରାଗ ଗ୍ରହଣ କରିପାରିବେ ନାହିଁ। ପ୍ରତ୍ୟେକ ଭକ୍ତ ମାକ୍ସ ପିନ୍ଧିବେ ଓ ବିଏମ୍‌ସି ଦ୍ବାରା ତିଆରି କରାଯାଇଥିବା ବାରିକେଡ୍‌ ଭିତରେ ଧାଡ଼ିରେ ପରସ୍ପରଠାରୁ ୬ ଫୁଟ୍ ଦୂରତା ରକ୍ଷା କରି ଯିବେ। ସେବାୟତ କିମ୍ବା ଶ୍ରଦ୍ଧାଳୁ କାହାଠାରେ ବି ଥଣ୍ଡା ଓ କାଶର ଲକ୍ଷଣ ଥିଲେ, ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କର ମନ୍ଦିର ସିଂହଦ୍ବାରରେ ର୍ଥମାଲ ସ୍କ୍ରଂନି କରାଯିବ। ସେହିପରି ସାଂଘାତିକ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ବୟସ୍କ, ଗର୍ଭବତୀ ମହିଳା କିମ୍ବା ୧୮ ବର୍ଷରୁ କମ୍ ପିଲାମାନଙ୍କର ପ୍ରବେଶ ନିଷେଧ କରାଯାଇଅଛି। ସେହିପରି ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ସହିତ ୨ୟ ଟିକା ନେଇଥିବା ପ୍ରମାଣପତ୍ରଧାରୀ ସେବାୟତମାନଙ୍କୁ ମନ୍ଦିରରେ ନୀତିକାନ୍ତି ପାଇଁ ଅନୁମତି ଦିଆଯିବ। ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଭକ୍ତମାନଙ୍କର ହାତ ଧୁଆ ଓ ହାତ ସାନିଟାଇଜ କରିବାର ବ୍ୟବସ୍ଥା କରାଯିବ। ମନ୍ଦିର ପରିସରରେ ପାନ, ଗୁଟଖା ଛେପ ପକାଇବା ନିଷେଧ କରାଯାଇଛି। ମନ୍ଦିର ମଧ୍ୟରେ କୌଣସି ସ୍ଥାନରେ ୨୫ ଜଣରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ।

Advertisement

Leave a Reply

Your email address will not be published. Required fields are marked *