Angul News (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦିଲୀପ ରଥ ଗତ ୨୮ତାରିଖ ଅପରାହ୍ନ ୩ଘଟିକା ସମୟରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ବିୟୋଗରେ ଆଜି ପୂର୍ବାହ୍ନରେ ଅନୁଗୋଳ ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବାର ହଲରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଶୋକସଭାରେ ସ୍ବର୍ଗତ ଆତ୍ମାର ସତ୍ଗତି ନିମିତ୍ତ ଉପସ୍ଥିତ ଓକିଲ ମାନେ ପ୍ରଥମେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଉକ୍ତ ଶୋକସଭାରେ ତାଙ୍କର କର୍ମମୟ ଜୀବନର ସ୍ମୃତି ଚାରଣ କରିବାକୁ ଯାଇ ବିଭିନ୍ନ ବକ୍ତାମାନେ ତାଙ୍କର କେତେକ ଅନାଲୋଚିତ ଘଟଣା ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଗୋଳ ଜିଲ୍ଲାର ବହୁ ସମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଭାବେ ସେ ନିଜକୁ ନିୟୋଜିତ କରିଥିଲେ। ସେ ଜଣେ ସ୍ପଷ୍ଟବାଦୀ, ସମୟାନୁବର୍ତ୍ତୀ, ପରୋପକାରୀ ମେଳାପି ଓକିଲ ଭାବରେ ପରିଚିତ ଥିଲେ। ସେ ନିଜର କୋର୍ଟ କାର୍ଯ୍ୟକୁ ବ୍ରତ ଭାବେ ଗ୍ରହଣ କରିଥିଲେ। ସେ ଜୀବନର ଶେଷ ପର୍ଯ୍ୟନ୍ତ କଚେରୀକୁ ଆସୁଥିଲେ ଓ ନିଜ କାର୍ଯ୍ୟ ମଧ୍ୟ ସମ୍ପାଦନ କରୁଥିଲେ। ଗରିବମାନଙ୍କର ଜଣେ ଦରଦୀ ବନ୍ଧୁ ଭାବେ କାର୍ଯ୍ୟ କରି ସ୍ବଳ୍ପ ଫିସରେ କାମ କରୁଥିଲେ। ଆଜିର ସ୍ମୃତି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସୁବାଷ ମିଶ୍ର, ପରମାନନ୍ଦ ମିଶ୍ର, ମହେନ୍ଦ୍ର ବସ୍ତିଆ, ରବିନ୍ଦ୍ର ପ୍ରସାଦ ପଟ୍ଟନାୟକ, ସନ୍ତୋଷ ମହାପାତ୍ର, ଗଣେଶ୍ଵର ସାହୁ, ପ୍ରଦୀପ ଦେବତା, ବିରେନ ନାଏକ, ଗୋପାଳ ନାଥ, ଅଶୋକ ପଟ୍ଟନାୟକ, ବସନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସଂଘର ସାଧାରଣ ସମ୍ପାଦକ ଧ୍ରୁବ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Angul News: ବରିଷ୍ଠ ଆଇନଜୀବୀ ଦିଲୀପ ରଥଙ୍କ ବିୟୋଗରେ ଅନୁଗୋଳ ଓକିଲ ସଂଘର ଶୋକସଭା

