ବନ୍ତଳା: ନାରୀ ନିର୍ଯ୍ୟାତନା ବିରୋଧୀ ଗଣ କମିଟି, ବନ୍ତଳା ଆନୁକୂଲ୍ୟରେ ସ୍ଥାନୀୟ ମଦନ ମୋହନ ଜିଉ ଟ୍ରଷ୍ଟ ପଡିଆ, ଶଙ୍ଖପୁର ଠାରେ ଜସ୍ମିନ୍ ସେଠ ହତ୍ୟାର ଆସାମୀଙ୍କୁ କଠୋର ଶାସ୍ତି, ଛାତ୍ରୀ, ମହିଳାମାନଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା, ମଦ ମାଦକଦ୍ରବ୍ୟ ଓ ଅଶ୍ଳୀଳତା ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଏବଂ ହାତୀ ଉପଦ୍ରବ ବନ୍ଦ କରି ଧନ ଜୀବନ ସୁରକ୍ଷା କରିବା ଦାବିରେ କମିଟିର ଅନ୍ୟତମ ଆବାହିକା ତଥା ଏ.ଆଇ.ଏମ୍.ଏସ୍.ଏସ୍.ର ଜିଲ୍ଲା ସଭାନେତ୍ରୀ ମନେ୍ଦାଦରୀ ରାଉଳଙ୍କ ସଭାପତିତ୍ୱରେ ଖୋଲା କନଭେନସନ ଅନୁଷ୍ଠିତ ହୋଇଯାଇଛି ।
ପ୍ରକାଶଥାଉକି ୮ ଜାନୁୟାରୀ ଖୋଲା କନ୍ଭେନ୍ସନ୍ କରିବା ପାଇଁ ପୋଲିସ୍ ଓ ପ୍ରଶାସନ ୬ ତାରିଖରେ ଅନୁମତି ପ୍ରଦାନ କରିଥିଲେ । ହଠାତ୍ ୭ ତାରିଖ ରାତି ୯ଟାରେ ଅନୁମତି ରଦ୍ଦ କରିଦେଲେ ଓ ରାତାରାତି ପ୍ରତି ଗାଁକୁ ଯାଇ ଖୋଲା କନ୍ଭେନ୍ସନ୍କୁ ଆହ୍ୱାନ କରିଥିବା ବ୍ୟକ୍ତିମାନଙ୍କୁ ଯୋଗଦେବା ପାଇଁ ବାରଣ କରିବା, ଅନୁମତି ନାହିଁ କହି ଭୟଭୀତ କରିଥିଲେ । କାହା ପ୍ରରୋଚନାରେ ଆସାମୀକୁ ଧରିବା ପରିବର୍ତ୍ତେ କନ୍ଭେନ୍ସନ୍ ବନ୍ଦ କରିବା ଏତେ ତତ୍ପର କାହିଁକି ଆମ ପୋଲିସ୍ । ସମସ୍ତ ପ୍ରକାର ବାଧା ସତ୍ତ୍ୱେ ଶହ ଶହ ମହିଳା, ପୁରୁଷ କନ୍ଭେନ୍ସନ୍ରେ ଯୋଗଦେବା ପାଇଁ ଆସିଥିଲେ । ସେହିପରି ସେପ୍ଟେମ୍ବର ୧୮ ତାରିଖରେ ଜସ୍ମିନ୍ ସେଠର ହତ୍ୟାର ଆସାମୀକୁ କଠୋର ଦାବିରେ ହୋଇଥିବା ଏସ୍.ପି. ଅଫିସ୍ ଘେରାଉ ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ପୋଲିସ୍ ପ୍ରଶାସନ ହୀନ ଉଦ୍ୟମ କରିଥିଲେ । ତାହାସତ୍ତ୍ୱେ ହଜାର ହଜାର ଜନସାଧାରଣ ୧୨କିଲୋମିଟର ଚାଲି ଚାଲି ଆସି ବିକ୍ଷୋଭ କରିଥିଲେ । ପୋଲିସ୍ ପ୍ରଶାସନର ଏଭଳି କାର୍ଯ୍ୟକଳାପକୁ ସ୍ଥାନୀୟ ଜନସାଧାରଣ ତୀବ୍ର ନିନ୍ଦା କରିଛନ୍ତି ।
ଅନ୍ୟପଟରେ ସମସ୍ତ ପ୍ରକାର ବାଧା ପ୍ରତିବନ୍ଧକ ସତ୍ତ୍ୱେ କନ୍ଭେନ୍ସନ୍ରେ ଯୋଗଦେଇଥିବା ଜନସାଧାରଣଙ୍କୁ ସମ୍ବୋଧିତ କରିବା ପାଇଁ ଛୁଟି ଆସିଥିଲେ ଏ.ଆଇ.ଏମ୍.ଏସ୍.ଏସ୍. ରାଜ୍ୟ ସଭାନେତ୍ରୀ ସ୍ୱୟଂପ୍ରଭା ନାୟକ ଓ ସମ୍ପାଦିକା ସରୋଜିନୀ ନାୟକ । ତାଙ୍କ ବକ୍ତବ୍ୟରେ କ୍ଷୋଭ ପ୍ରକାଶ କରି କହିଲେଯେ, ଶ୍ୟାମସୁନ୍ଦରପୁର ଗ୍ରାମର ଅକ୍ଷୟ ସେଠଙ୍କର ୧୧ବର୍ଷର ଝିଅ ଜସ୍ମିନ୍ ଗତ ସେପ୍ଟେମ୍ବର ୬ତାରିଖ ସନ୍ଧ୍ୟାରେ ଗାଁ ଦାଣ୍ଡରୁ ନିଖୋଜ ହେଲା ଏବଂ ତାପରଦିନ ଅର୍ଥାତ୍ ସେପ୍ଟେମ୍ବର ୭ତାରିଖ ସକାଳୁ ସ୍ଥାନୀୟ ଭାଲୁଖାଇ ନାଳରୁ ତାର କ୍ଷତବିକ୍ଷତ ବିଭତ୍ସ ମୃତ ଦେହ ମିଳିଥିଲା; ଅଥଚ ବାରମ୍ବାର ବିଭିନ୍ନ ମହଲରେ ଦାବି ଓ ହଜାର ହଜାର ଅଞ୍ଚଳବାସୀଙ୍କ ଆନେ୍ଦାଳନ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ନିରୂପଣ ଓ ହତ୍ୟାକାରୀଙ୍କୁ ଠାବ କରାଯାଇନାହିଁ । ଅପରାଧୀ ନିଶ୍ଚିତ ରୂପେ ଆଖପାଖ ସ୍ଥାନୀୟ ଅଧିବାସୀ । ମାତ୍ର କେଉଁ କାରଣରୁ ଅପରାଧୀଙ୍କୁ ସୁରକ୍ଷା ଦିଆଯାଉଛି ଏବଂ ଅପରାଧିକ କାର୍ଯ୍ୟକଳାପକୁ ଉତ୍ସାହିତ କରାଯାଉଛି ତାନେଇ ସାଧାରଣ ଜନତା ସନ୍ଦିହାନ ଏବଂ ସର୍ବଦା ନିଜର ପିରବାର, ପରିଜନ, ଝିଅବୋହୂଙ୍କ ସୁରକ୍ଷାକୁ ନେଇ ଗଭୀର ଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ସରକାରୀ କଳ, ବଳ, ପୋଲିସ ପ୍ରଶାସନ ସତରେ କଣ ଏତେ ଅପାରଗ ନା କୌଣସି ହୀନ ରାଜନୈତିକ ·ପଯୋଗୁଁ ଅପରାଧୀଙ୍କୁ ସୁରକ୍ଷା ଦିଆଯାଉଛି ।
ଆହୁରି ମଧ୍ୟ କହିଲେ ଯେ ଜସ୍ମିନ୍ ସେଠ ହତ୍ୟାକାଣ୍ଡ ଭଳି ଜିଲ୍ଲାରେ ତଥା ଆମ ରାଜ୍ୟ ଓ ଦେଶରେ ମହିଳା ଓ ଛାତ୍ରୀମାନଙ୍କ ଉପରେ ହେଉଥିବା ହତ୍ୟା, ଧର୍ଷଣ, ଗଣଧର୍ଷଣକାରୀଙ୍କୁ ଧରି କଠୋର ଦଣ୍ଡବିଧାନ ଦେବା ପରିବର୍ତ୍ତେ ଖୋଦ୍ ପୋଲିସ୍ ପ୍ରଶାସନ, ସରକାରୀ ଦଳ ଘଣ୍ଟ ଘୋଡାଉଥିବାର ଅନେକ ନଜିର ରହିଛି । ଏହି ଘଟଣାକୁ ମଧ୍ୟ ଚାପି ଦେବା ପାଇଁ ପ୍ରଶାସନ ପକ୍ଷରୁ ହୀନ ଉଦ୍ୟମ ·ଲିଛି । ତେଣୁ ଏଠି ପ୍ରଶ୍ନ ଉଠେ ଆସାମୀକୁ ଧରିବା ପରିବର୍ତ୍ତେ ଆନେ୍ଦାଳନକୁ ପୋଲିସ୍ ପ୍ରଶାସନର ଭୟ କାହିଁକି? ଏହିଭଳି ସ୍ଥଳେ ଆଗାମୀ ଦିନରେ ଆମର ସୁରକ୍ଷା ପାଇଁ ଆମ ମାନଙ୍କୁ ସଂଗଠିତ ହେବାକୁ ହେବ । ଜିଲ୍ଲା ତଥା ଆମ ରାଜ୍ୟ ଓ ଦେଶରୁ ସମ୍ପୂର୍ଣ୍ଣ ମଦ ମାଦକ ଦ୍ରବ୍ୟ, ଅଶ୍ଳୀଳତା, ଅପସଂସ୍କୃତି ନିଷିଦ୍ଧ କରିବା ପାଇଁ ନାରୀ ନିର୍ଯ୍ୟାତନା ବିରୋଧି ଗଣ କମିଟି ଗଠନ କରି ଦଳମତ ନିର୍ବିଶେଷରେ ଧାରାବାହିକ, ଦୀର୍ଘସ୍ଥାୟୀ ଆନେ୍ଦାଳନ ସଂଗଠିତ କରିବାକୁ ହେବ । କନଭେନସନର ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବେ ନାରୀ ନିର୍ଯ୍ୟାତନା ବନ୍ଦ କରିବା ଏବଂ ଜସ୍ମିନ୍ ସେଠ ଉଦେ୍ଦଶ୍ୟରେ ଆସନ୍ତା ୧୩ ଜାନୁୟାରୀ ସମସ୍ତ ମାଆ ଭଉଣୀମାନେ ନିଜ ଗ୍ରାମ ଓ ସାହି ବସ୍ତିରେ ସଂଗଠିତ ହୋଇ ସମୂହ ପ୍ରଦୀପ ପ୍ରଜ୍ୱଳନ କରିବାକୁ ନିଷ୍ପତି ହୋଇଥିଲା । ଖୋଲା କନ୍ଭେନ୍ସନ୍ ପରେ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ମଦନମୋହନ ଛକ ଠାରେ ସମାପ୍ତ ହୋଇଥିଲା ।

