ଚିରାଚରିତ ରାଜନୀତିର ବିଚାରଧାରାକୁ ବଦଳାଇବୁ: ବନ୍ଦିତା

Advertisement

ଭୁବନେଶ୍ୱର: ଚିରାଚରିତ ରାଜନୀତିର ଧାରାରେ ଆମେ ନାହୁଁ । କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ଆମେ ନିର୍ବାଚନ ମଇଦାନକୁ ଆସିନାହୁ। ଏସବୁର ଉର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ୩୭ ନମ୍ବର ଓ୍ୱାର୍ଡର ସ୍ୱାଧୀନ ପ୍ରାର୍ଥିନୀ ବନ୍ଦିତା ପାଲ। ବନ୍ଦିତା କୁହନ୍ତି ଚିରାଚରିତ ରାଜନୀତିକୁ ବଦଳାଇବା ଆମର ଉଦ୍ଦେଶ୍ୟ । କ୍ଷମତା ଲୋଭରେ ଆମେ ରାଜନୀତି କରୁନାହୁଁ । ଲୋକଙ୍କ ସେବା କରିବା, ସେମାନଙ୍କର ମୌଳିକ ସମସ୍ୟାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଆମର ଲକ୍ଷ୍ୟ ବୋଲି ବନ୍ଦିତା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି ଏହି ନିର୍ବାଚନରେ ହାରଜିତ ଆମ ପାଇଁ କୌଣସି ପ୍ରଭାବ ପକାଇବ ନାହିଁ। କାରଣ ପୂର୍ବରୁ ମୋର ସ୍ୱାମୀ ଅର୍ଜୁନ ବେହେରା ନିରନ୍ତର ଭାବେ ଲୋକଙ୍କ ସେବା କରି ଆସୁଛନ୍ତି। ଏହି ଅଞ୍ଚଳରେ ଅନେକ ଗୁଡ଼ିଏ ସମସ୍ୟା ରହିଛି। ବର୍ଷା ଦିନେ ଜଳ ନିଷ୍କାସନ ସମସ୍ୟା ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି, ପାନୀୟ ଜଳର ସମସ୍ୟା, ଶ୍ମଶାନ ଭୂଇଁର ପ୍ରମୁଖ ମୌଳିକ ସମସ୍ୟା ଗୁଡ଼ିକ ଏଠାରେ ରହିଛି। ଏହାର ସମାଧାନ ପାଇଁ ମୋର ସ୍ୱାମୀ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ପୂର୍ବରୁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିସାରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ରାଜ୍ୟରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ଚଳିତ ନିର୍ବାଚନରେ ଅନେକ ପ୍ରାର୍ଥୀ ସ୍ୱାଧୀନ ଭାବେ ଲଢ଼ି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଭଳି ସ୍ଥିତିରେ ଭୁବନେଶ୍ୱରର ୩୭ ନମ୍ବର ୱାର୍ଡର ପ୍ରାର୍ଥୀ ହୋଇଛନ୍ତି ବନ୍ଦିତା ପାଲ । ବନ୍ଦିତା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କର ସ୍ୱାମୀ ଅର୍ଜୁନ ବେହେରାଙ୍କ ସହ ମିଶି ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *