Angul News: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା କାର୍ଯ୍ୟକ୍ଷମ ଏବଂ ନିଯୁକ୍ତି ଦାବିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ମାରକପତ୍ର

Advertisement

Angul News: ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା, ଖାଲି ପଡିଥିବା ଭେଷଜ ଓ ଚର୍ମରୋଗ ବିଶେଷଜ୍ଞ ନିଯୁକ୍ତି କରିବା, ଅଲଟ୍ରାସାଉଣ୍ଡ ଓ ଇକୋ ମେସିନ୍ ପ୍ରତିଷ୍ଠା କରିବା, ଟ୍ରମା କେୟାର୍, ଆଇ.ସି.ୟୁ.ର ବ୍ୟବସ୍ଥା କରିବା ଦାବିରେ ଆଜି ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାନନ୍ଦ ମହାନ୍ତିଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚାରି ମହଲା ବିଶିଷ୍ଟ ନୂତନ କୋଠା ବିଦ୍ୟୁତକରଣ କାର୍ଯ୍ୟ ଶେଷ ହୋଇନାହିଁ। ବିଦ୍ୟୁତକରଣ କାର୍ଯ୍ୟ ଶେଷ ହେବାପରେ ଏହା ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବବୋଲି ସି.ଡି.ଏମ୍.ଓ. ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଦୁଇଟି ଅଲ୍ଟ୍ରାସାଉଣ୍ଡ ମେସିନ୍ ମଧ୍ୟରୁ ଗୋଟିଏ ମେସିନ୍ ସ୍ତ୍ରୀ ଓ ପ୍ରସୂତୀ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ ରହିଛି।

ଅନ୍ୟ ଅଲ୍ଟ୍ରାସାଉଣ୍ଡ ମେସିନଟି ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଶିଳ୍ପ ସମୃଦ୍ଧ ଓ ପ୍ରଦୂଷଣରେ ଜର୍ଜରିତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ଶହ ଶହ ରୋଗୀ, ବିଶେଷକରି ଚର୍ମରୋଗୀରେ ଆକ୍ରାନ୍ତ ବହୁତ ରୋଗୀ ଆସୁଛନ୍ତି। ମାତ୍ର ଚର୍ମରୋଗ ଓ ଭେଷଜ ରୋଗ ବିଶେଷଜ୍ଞ ନଥିବାରୁ ରୋଗୀମାନେ ଚିକିତ୍ସା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅବିଳମ୍ବେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ କମିଟି ପକ୍ଷରୁ ଦୃଢ଼ ଦାବି କରାଯାଇଥିଲା। କମିଟିର ଉଦ୍ବେଗକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗ୍ରହଣ କରିବା ସହିତ ଚର୍ମରୋଗ ଓ ଭେଷଜ ବିଶେଷଜ୍ଞ ନିଯୁକ୍ତି ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ହୃଦରୋଗ ବିଶେଷଜ୍ଞ ନିୟୋଜିତ ଅଛନ୍ତି। ମାତ୍ର ଇକୋ ମେସିନ୍ ନଥିବାରୁ ହୃଦରୋଗୀମାନଙ୍କ ଚିକିତ୍ସା ଠିକ୍ ଭାବେ ହୋଇପାରୁନାହିଁ ବୋଲି କମିଟି ପକ୍ଷରୁ କୁହାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହାକୁ ସ୍ୱୀକାର କରିବା ସହିତ ଇକୋ ମେସିନ୍ ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ପ୍ରତିଦିନ ଦୁର୍ଘଟଣା ଯୋଗୁଁ ଅନେକ ଧନଜୀବନ ହାନି ହେଉଛି, ତୁରନ୍ତ ଟ୍ରମା କେୟାର ଓ ଆଇ.ସି.ୟୁ ବ୍ୟବସ୍ଥା କରିବା ପାଇଁ ପ୍ରତିନିଧି ମଣ୍ଡଳୀ ଦାବି କରିଥିଲେ। ଚାରି ମହଲା ବିଶିଷ୍ଟ ନୂତନ କୋଠା କାର୍ଯ୍ୟକ୍ଷମ ହେବା ପରେ ଟ୍ରମା କେୟାର ଏବଂ ଆଇ.ସି.ୟୁ. ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।

Advertisement

ଏଥିସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଂଲଗ୍ନ ପୋଲଟ୍ରି ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର କରି ଏହାର ସମସ୍ତ ଜାଗାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର ପାଇଁ ପ୍ରଶାସନର ପୂର୍ବ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ କମିଟି ଦାବି କରିଥିଲା । ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଏ ସମ୍ପର୍କରେ ପଦକ୍ଷେପ ନେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କମିଟି ପକ୍ଷରୁ ଉପସ୍ଥାପିତ ଦାବି ଗୁଡିକ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତ୍ୱରିତ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଫିସ୍ ସମ୍ମୁଖରେ ଆନେ୍ଦାଳନ ପାଇଁ ଆଜିର ପ୍ରତିନିଧି ମଣ୍ଡଳୀରେ ସାମିଲ ଥିବା ଅନୁଗୁଳ ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟିର ଅନ୍ୟତମ ଆବାହକ ଶିକ୍ଷାବିତ୍ ଅଭିମନୁ୍ୟ ସ୍ୱାଇଁ, ରମେଶ ସାହୁ, ପଠାଣୀ ବାରିହା, ତୀର୍ଥବାସୀ ଭୋଇ, ମାନସ ପାଳ, ଦାମୋଦର ଦାସ, ନିରୋଦ ଚନ୍ଦ୍ର ପାଳ, ଅଶୋକ କୁମାର ପ୍ରଧାନ, ବ୍ରଜବନ୍ଧୁ ସାହୁ, ନିରୂପମା ପ୍ରଧାନ, ବିଷ୍ଣଚରଣ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *