Angul News: ଓଡ଼ିଶାର ସ୍ୱାଭିମାନ ପାଇଁ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଜରୁରୀ : କଂଗ୍ରେସ

Advertisement

Angul News: ଅନୁଗୋଳ: ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପ୍ରଶାନ୍ତି ହୋଟେଲଠାରେ ଜିଲ୍ଲା କଂଗ୍ରେସ ସଭାପତି ତଥା ଅନୁଗୋଳ ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଢ଼େଙ୍କାନାଳ ଲୋକସଭା ପ୍ରାର୍ଥୀ ଇଂ ସସ୍ମିତା ବେହେରା ଯୋଗ ଦେଇ ତାଙ୍କର ନିଜସ୍ୱ ୧୦ ଦଫା ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରି ଅନୁଗୋଳ ଓ ଢେଙ୍କାନାଳର ଅଧୁରା ସ୍ୱପ୍ନକୁ ପୁରା କରିବାର ଏକ ରୋଡ଼ମ୍ୟାପ ଉପସ୍ଥାପନ କରିଥିଲେ | ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଆଶୀର୍ବାଦ ରହିଛି ବୋଲି ପ୍ରକାଶ କରି, ଯେଉଁମାନେ ଅନୁଗୋଳ, ଢେଙ୍କାନାଳ ଲୋକଙ୍କୁ ଅଣଦେଖା କରି ବାହାରିଆଙ୍କ ସହ ମିଶି ଲୁଟୁଛନ୍ତି, ସାଂସଦ ଓ ବିଧାୟକ ମାନେ ଓଡ଼ିଶାର ନେତୃତ୍ଵ ନେବା ବଦଳରେ ଠିକାଦାର୍ ପାଲଟିଛନ୍ତି, ବ୍ରୋକର ହେଇ ପିସି କାରବାର ଚଳାଇଛନ୍ତି, ଏହି ଲଢେଇ ସେହି ଲୁଟିଖିଆଙ୍କ ବିରୁଦ୍ଧରେ ଖଟିଖିଆଙ୍କ ଅଧିକାର, ରୋଜଗାର ଓ ବାସ୍ତବିକ ବିକାଶର ଲଢେଇ ପାଇଁ ଆନ୍ଦୋଳନ । ତେଣୁ ବିଜେପି – ବିଜେଡିର ଅଦୃଶ୍ୟ ମେଣ୍ଟର ସରକାରକୁ ହଟାଇ କଂଗ୍ରେସ ସରକାର ଗଢିବା ପାଇଁ ହାତ ଚି଼ହ୍ନକୁ ଦୁଇଟି ଭୋଟ ଦେଇ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ| ଏହି ଗ୍ୟାରେଣ୍ଟି କାର୍ଡରେ ମହିଳା, ଯୁବ, ଛାତ୍ର, ଚାଷୀ, ମଜଦୁର, ବେରୋଜଗାରଙ୍କୁ ଅଧିକ ଗୁରୁତ୍ୱ ଦେବା ସହ ଅନୁଗୋଳ, ଢେଙ୍କାନାଳର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ପ୍ରାଥମିକତା ରହିବ ବୋଲି ଉଲ୍ଲେଖ କରିଥିଲେ | ଲୋକଙ୍କ ଆଶୀର୍ବାଦରୁ ବିଜୟୀ ହେଲେ ସେ ନିଜର ପ୍ରତ୍ୟେକ ମାସର ଭତ୍ତାକୁ ସଂସଦୀୟ କ୍ଷେତ୍ରର ମହିଳା ସଶକ୍ତିକରଣ ପାଇଁ ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିଶା ମୁକ୍ତ ଢେଙ୍କାନାଳ, ଅନୁଗୋଳ ଗଢିବା, ବେରୋଜଗାରୀକୁ ରୋଜଗାର, ମା, ଭରଣୀଙ୍କ ସୁରକ୍ଷା, ସ୍ୱାଭିମାନ ଓ ସମ୍ମାନ ତଥା ନିମ୍ନଲିଖିତ ଜନହିତକାରୀ ବିଷୟକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉତ୍ତୋଳନ କରିବେ।

ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ତଥା ଅନୁଗୋଳ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଅମ୍ବିକା ପ୍ରସାଦ ଭଟ୍ଟ ତାଙ୍କ ବକ୍ତବ୍ୟରେ ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରାଯାଇଛି, ଯେଉଁଥିରେ ଚାଷୀଙ୍କୁ ବୋନସ ଦେବା ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା ଦେବା ସହ କୃଷିଋଣ ଛାଡ଼ କରାଯିବ | ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ କରାଯିବ। ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା କରିବା ସହ ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା ଦିଆଯିବ। ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବା ସହ ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା ଦିଆଯିବ। ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର ଦିଆଯିବ। ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ। ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ଦିଆଯିବ | ରାଜ୍ୟରେ ଜାତିଭିତ୍ତିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେବା ସହ ଅନୁଗୋଳ ଜିଲ୍ଲାର ଅନେକ ମୌଳିକ ସୁବିଧା ସାଧାରଣ ଜନତାଙ୍କ ପାଇଁ ଆଜିବି ଅପହଞ୍ଚ ହୋଇ ରହିଛି। ଅନୁଗୋଳବାସୀ ମିଥ୍ୟା ପ୍ରହେଳିକାରେ ନ ଭାସି କଂଗ୍ରେସ ଦଳକୁ ଭୋଟ ଦେଇ ବିଜୟୀ କଲେ, ନିଶ୍ଚିତ କଂଗ୍ରେସ ସେ ସବୁକୁ ପ୍ରାଥମିକତାର ସହ ସମାଧାନ କରିବ ବୋଲି ଦୃଢତାର ସହ ଘୋଷଣା କରିଥିଲେ। ଏହି ସମ୍ମିଳନୀରେ ତାଳଚେର ବିଧାନସଭା ପ୍ରାର୍ଥୀ ପ୍ରଫୁଲ ଦାସ ତାଳଚେରରେ ଚାଲିଥିବା ମାଫିଆରାଜର ଅନ୍ତ କରିବା ସହ ବିସ୍ଥାପିତ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ସହ ପ୍ରତି ଗାଆଁରୁ ସର୍ବ ନିମ୍ନ ୨୦୦ ଜଣକୁ ଚାକିରୀ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମେଡିକାଲ କଲେଜର ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ଶିକ୍ଷା, ସ୍ବାସ୍ଥ୍ୟ, ଓ ଗମନାଗମନ ପ୍ରତି ପ୍ରାଥମିକତା ଦେବା ପାଇଁ ଘୋଷଣା କରିଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ଅନୁଗୋଳ ଜିଲ୍ଲା ମିଡିଆ ସେଲର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ନାଥ, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର ପ୍ରମୁଖ ଯୋଗ ଦେଇ ବିଜେଡିର ୨୫ ବର୍ଷ ଓ ବିଜେପିର ୧୦ ବର୍ଷ କୁଶାସନ ଓ ଜନବିରୋଧୀ ନୀତି ବିଷୟରେ ଅଭିଭାଷଣ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ବଦଳାଇ କଂଗ୍ରେସ ସରକାର ଆଣିବାକୁ ଜନତାଙ୍କୁ ଆହ୍ୱାନ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *