ଭୁବନେଶ୍ୱର: କଳାଜଗତ ପାଇଁ ଏକ ଦୁଃଖଦ ଖବର। ଚିକିତ୍ସାଧିନ ଅବସ୍ଥାରେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ସେ ଲିଭର ଜନିତ ରୋଗରେ ପୀଡିତ ଥାଇ ଏମ୍ସରେ ଚିକିତ୍ସାଧିନ ରହିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ତେବେ ନିକଟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ବେଳେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇୟାଇଛି। ତାଙ୍କ ମୃତ୍ୟୁ ଫଳରେ ସଂଗୀତ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
ଓଲିଉଡ଼ର ବେଶ ଚର୍ଚ୍ଚିତ ସଂଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ ମଜୁମଦାର। କିଛି ଦିନ ହେଲା ସେ ଲିଭର ସିରୋସିସ ଭଳି ଏକ ଗୁରୁତର ରୋଗରେ ପୀଡିତ ରହିଥିଲେ। ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ICUରେ ଭର୍ତ୍ତି ହୋଇଥିଲେ। ସେ ଅକ୍ଟୋବର ୨୩ ତାତିଖରୁ ICUରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ।
କୋମାରେ ଥିବା ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ତେବେ ଧିରେ ଧିରେ ସୁସ୍ଥ ହେଉଥିଲେ। ହସ୍ପିଟାଲରୁ ସୁସ୍ଥ ହୋଇ କିଛି ଦିନ ତଳେ ସେ ଘରକୁ ଫେରିଥିଲେ। ଗତକାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।
ସମ୍ବଲପୁରୀ ଗୀତରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଅଭିଜିତ ମଜୁମଦାର ଓଲିଉଡ ତଥା ଓଡିଆ, ସମ୍ବଲପୁରୀ ଫିଲ୍ମ ଏବଂ ଆଲବମରେ ସେ ଅନେକ ହିଟ ଗୀତ ଦେଇଛନ୍ତି। ଏପରିକି ସେ ନିଜେ ଗୀତ ଗାଇବା ସହ ନିର୍ଦ୍ଦେଶନା ଦେଇଛନ୍ତି । ସେ ଗାଇଥିବା ଅନେକ ଗୀତ ସୁପର ହିଟ୍ ହୋଇଛି । ତେବେ ୨୦୦୦ ମସିହାରେ ଆସିଥିବା କାଶିଆ କପିଳା ସିନେମା ଜରିଆରେ ସିନେ ଜଗତରେ ପାଦ ଥାପିଥିଲେ।
୨୦୦୦ ମସିହା ପରଠାରୁ ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ସେ ଶହେରୁ ଊର୍ଦ୍ଧ୍ୱ ଆଲବମ୍ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ‘ମାଧବ ହେ ମାଧବ’, ‘ଟ୍ବିଙ୍କଲ୍ ଟ୍ବିଙ୍କ୍ଲ ଲିଟିଲ୍ ଷ୍ଟାର୍’, ‘ନାଚିବ ଗବର ସିଂହ’, ‘ବାଳୁଙ୍ଗା ଟୋକା’, ‘ସଜନୀ ସଜନୀ’, ‘ଆମେ ତ ଟୋକା ଷଣ୍ଡ ମାର୍କା’ ପରି ଦାଦାଙ୍କର ହିଟ ଗୀତ ଚୀର ସବୁଜ ହୋଇ ରହିଛି। ସେହିପରି କିଛି ଆଇଟମ ଗୀତ ମଧ୍ୟରେ ‘ତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋ’ ଗୀତରେ ସେ ନିଜେ କଣ୍ଠଦାନ କରିଛନ୍ତି। ଅଭିଜିତ୍ଙ୍କ ‘ରାତି ସାରା ବାର୍ ଲାଇଟ୍ ଦୁକୁ ଦୁକ’ ଗୀତ ତାଙ୍କ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା । ୨୦୧୦ ମସିହାରେ ‘ତୁ ଥା ମୁଁ ଯାଉଛି ରୁଷି’ ସିନେମା ପାଇଁ ଓ ୨୦୨୨ ମସିହାରେ ‘ତୃଷ୍ଣା’ ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ଆଜି ନାହାନ୍ତି ସତ ହେଲେ ତାଙ୍କ ସ୍ୱର ଓ ଭେଟି ଦେଇଥିବା ସଙ୍ଗୀତ ଦର୍ଶକଙ୍କ ହୃଦୟରେ ରହିବ ।
ଏଠାରେ କହି ରଖୁ କି ଅଭିଜିତ ମଜୁମଦାର ୧୯୭୧ ମସିହାର ସେପ୍ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଅଧ୍ୟାପକ ଥିଲେ, ମାତ୍ର ୧୯୯୬ ମସିହାରେ ସଙ୍ଗୀତ କ୍ଷେତ୍ରରେ କାମ କରିବା ପାଇଁ ଚାକିରୀରୁ ଇସ୍ତଫା ଦେଇ କଟକ ଯାଇଥିଲେ ।

